ଭୁବନେଶ୍ୱର: ଗତ ସୋମବାର ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ବିରୁଦ୍ଧରେ ମହିଳା ଥାନାରେ ପ୍ରତାରଣା ସହ ହତ୍ୟା ଧମକ ଆସିବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର । ଭୁବନେଶ୍ୱର ଡିସିପି ଘଟଣାର ତଦନ୍ତ ଭାର ନେଇଥିବାବେଳେ ୨/୩ ଦିନ ମଧ୍ୟରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କମିଶନର ସୂଚନା ଦେଇଛନ୍ତି । ଏକ ଭିଡିଓ, ଫଟୋ, ହ୍ୱାଟ୍ସଆପ୍ ମେସେଜ୍ ଇତ୍ୟାଦିର ଯାଞ୍ଚ ·ଲୁଥିବା ସେ କହିଛନ୍ତି ।
ପୀଡ଼ିତାଙ୍କ ଅଭିଯୋଗ ମୁତାବକ ନୟାଗଡ଼ ଗଣିଆ ଥାନାର ପ୍ରତିଭା (ଛଦ୍ମନାମ)ଙ୍କ ସହ ୨୦୧୪ ମସିହା ଡିସେମ୍ବର ଶେଷରେ ଏକ ରଙ୍ଗ୍ କଲ୍ ଜରିଆରେ ତାଳଚେର ବିଧାୟକଙ୍କର ଯୋଗାଯୋଗ ହୋଇଥିଲା । କଥା ହେବା ଆଳରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଦିନକୁ ଦିନ ନିବିଡ଼ ହେବାରେ ଲାଗିଥିଲା । ନିଜକୁ ବିଧାୟକ ବୋଲି ପରିଚୟ ଦେଇ ମହିଳାଙ୍କ ସହ ଘନିଷ୍ଠ ହେବାକୁ ଲାଗିଥିଲେ ବ୍ରଜ କିଶୋର । ୬ ମାସ ବ୍ୟବଧାନରେ ଦୁହିଁଙ୍କ ସହ ଦେଖା ହୋଇଥିଲା । ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମହିଳା ଜଣଙ୍କ ବିଧବା ହୋଇଥିବାରୁ ସେ ୨୦୧୫ ମସିହା ଏପ୍ରିଲ ୫ ତାରିଖରେ ପୁରୀ ଲକ୍ଷ୍ମୀ ମନ୍ଦିରରେ ବିବାହ କରିଥିଲେ । ଏପରିକି ଏକ ମାସ ଧରି ବିଧାୟକଙ୍କ ବାସଭବନରେ ସେ ପତ୍ନୀ ରୂପେ ରହିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । କିନ୍ତୁ କିଛି ଦିନ ପରେ ବିଧାୟକ ଜଣଙ୍କ ତାଙ୍କୁ ଦୂରେଇଦେବା ସହ ଜୀବନରୁ ମାରିବାକୁ ଧମକ ଦେଉଛନ୍ତି । ଆଇନର ଆଶ୍ରୟ ନେଲେ ମଧ୍ୟ ହତ୍ୟା ଧମକ ମିଳୁଥିବା ସେ କହିଛନ୍ତି ।