ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଭୋଟ୍ ତାତି ସହ ତାଳଦେଇ ବଢ଼ୁଛି ନିର୍ବାଚନୀ ହିଂସା

7th Feb 2017

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଘମାଘୋଟ ହେବାରେ ଲାଗିଛି  । ନିର୍ବାଚନ ପାଇଁ ଦିନ ଯେତେ ପାଖେଇ ଆସୁଛି ଭୋଟ୍ ତାତି ମଧ୍ୟ ସେତେ ବଢ଼ିବାରେ ଲାଗିଛି  । ଆଉ ଭୋଟ ତାତି ସହ ବଢ଼ୁଛି ନିର୍ବାଚନୀ ହିଂସା  । ଗାଁ ଗାଁରେ ପ୍ରତିଦିନ ନୂଆ ନୂଆ ହିଂସା ଦେଖିବାକୁ ମିଳୁଛି  । କେଉଁଠି ଗୁଳି ଫୁଟିଲାଣି ତ ଆଉ କେଉଁଠି କାତି ଚାଲିଲାଣି  । ପୁଣି କେଉଁଠି ଦୁଇ ଗୋଷ୍ଠୀ ମଧ୍ୟରେ ମୁଥ ମରାମରି  । ମାମଲା ପହଞ୍ଚୁଛି ଥାନାରେ  । ତେବେ ଗାଁରୁ ବସ୍ତି ଯାଏ ଚାପା ଉତ୍ତେଜନା ଲାଗି ରହୁଛି  ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି  । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନ ହିଂସା ସେତେ ବଢ଼ୁଛି  । କିଛିଦିନ ତଳେ ଗଜପତି ଜିଲାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଥିବା ବେଳେ ଗତ ଦୁଇଦିନ ତଳେ ଢେଙ୍କାନାଳ ଜିଲା ତରଭାରେ ଜଣେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା  । ଭୁବନେଶ୍ୱର ଉପକଣ୍ଠରେ ବାଙ୍କୁଆଳରେ ମଧ୍ୟ ଜଣେ ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଛି  । ଇତିମଧ୍ୟରେ ପ୍ରାୟ ୩ ଜଣ ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି  । ନିକଟରେ ଗଞ୍ଜାମ ଜିଲାରେ ଦୁଇଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା ବେଳେ ରିପୋର୍ଟ ଲେଖା ହେଲା ବେଳକୁ ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ୍ ର ପଟିଲୋ ପଞ୍ଚାୟତରେ ଦୁଇଗୋଷ୍ଠୀ ମଧ୍ୟରେ ଛେଚାଛେଚି ହେବାରୁ ୧୨ ଜଣ ଆହତ ହୋଇଛନ୍ତି  । ଇଏ ଖାଲି ଗଞ୍ଜାମ କି ଜଗତସିଂହପୁର ନୁହେଁ ସାରା ରାଜ୍ୟରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି  । ଅନେକ ସ୍ଥାନରେ  ମାମଲା ଥାନାରେ ପହଞ୍ଚୁଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଅରାଜକତା ସୃଷ୍ଟି ହେଉଛି  ।

ନିର୍ବାଚନୀ ହିଂସା ଏତେ ଉଗ୍ର ହେବାରେ ଲାଗିଛି ଯେ ପ୍ରାର୍ଥୀମାନେ ପ୍ରଚାରରେ ଯାଉଥିବା ବେଳେ ଟକରା ଟକରି ଆରମ୍ଭ ହୋଇଯାଉଛି  । କେତେକ ସ୍ଥାନରେ ପ୍ରାର୍ଥୀମାନେ ପରସ୍ପର ମଧ୍ୟରେ ହାତାହାତି ହେବା ଦେଖିବାକୁ ମିଳୁଛି  । ବହୁ ସ୍ଥାନରେ ଦୁଇ ସମର୍ଥକଙ୍କ ଗୋଷ୍ଠୀ ମଧ୍ୟରେ ଏହି ଗଣ୍ଡଗୋଳ ଅଧିକ ହେଉଛି  ।

ଅନେକ ସ୍ଥାନରେ ପଞ୍ଚାୟତ ନିର୍ବାଚନକୁ ନେଇ ନିଆଁ ପାଣି ମଧ୍ୟ ବନ୍ଦ ହୋଇଗଲାଣି  । ପଞ୍ଚାୟତ ନିର୍ବାଚନକୁ ନେଇ ଘରପୋଡ଼ି ଦେବା ଘଟଣା ମଧ୍ୟ ନଜରକୁ ଆସିଛି  । କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ଏଭଳି ଘଟଣା ପଦାକୁ ଆସିଛି  । ନିର୍ବାଚନୀ ହିଂସା ଏତେ ବଢ଼ିଛି ଯେ, କେଉଁଠି ଭାଇ ଭାଇ ଭିତରେ ଓ କେଉଁଠି ଦାଦା ପୁତୁରା ମଧ୍ୟରେ ତ ଆଉ କେଉଁଠି ପଡ଼ିଶା ଘର ସାଙ୍ଗରେ  ଗଣ୍ଡଗୋଳ ସୃଷ୍ଟି ହେଉଛି  । କେଉଁଠି ଯାଆ ଯାଆ ମଧ୍ୟରେ ମଧ୍ୟ ରାତି ନପାହୁଣୁ ଟକରା ଟକରି ହେଉଛି  । ଏପରିକି ୱାଡର଼୍ ମେମ୍ବର ପ୍ରାର୍ଥୀ ପାଇଁ ମଧ୍ୟ ନିଆଁ ପାଣି ବନ୍ଦ ହେଇଯାଉଛି  । ରାଜ୍ୟବ୍ୟାପୀ ଊଣାଅଧିକେ ଏଭଳି ହିଂସା ଦେଖିବାକୁ ମିଳୁଛି  ।

ପଞ୍ଚାୟତ ନିର୍ବାଚନରେ ହିଂସା ବଢ଼ୁଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି  । ହିଂସା ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ପରସ୍ପର ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି  । ୩ ଦଳ ଅଭିଯୋଗକୁ ଧରି ପହଞ୍ଚୁଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ  ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିଲେ ହେଁ ଅନେକ ସ୍ଥାନରେ ନିର୍ବାଚନୀ ହିଂସାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି  । ବିଶେଷକରି ପ୍ରାର୍ଥୀଙ୍କ ମଧ୍ୟରେ ଅସହିଷ୍ଣୁତା ଭାବ ଏହି ନିର୍ବାଚନୀ ହିଂସାକୁ ବଢ଼ାଇବାରେ ଲାଗିଛି  । ଆଗକୁ ଏହା ଆହୁରି ଉଗ୍ର ହେବ ବୋଲି ମନେକରାଯାଉଛି  ।


Tags:
political roits /