ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଗ୍ରୀନରେ ଇଣ୍ଟର୍ନେସନାଲ ଚିଟ୍ ଫଣ୍ଡ , ସିବିଆଇ ହେପାଜତରେ ସାହିର୍

6th Feb 2017

ଭୁବନେଶ୍ୱର: ଗ୍ରୀନ ର ଇଣ୍ଟର୍ନେସନାଲ ଚିଟ୍ ଫଣ୍ଡ ସଂସ୍ଥାର ମୁଖ୍ୟ ମିର ସାହିରୁଦ୍ଧିନଙ୍କୁ ସିବିଆଇ ୬ ଦିନ ନିଜ ହେପାଜତକୁ ନେବା ପରେ ଶାସକ ବିଜୁ ଜନତା ଦଳର କେତେକ ନେତାଙ୍କ ଘରେ ଭାଳେଣି ପଡ଼ିଯାଇଛି । ଜଳେଶ୍ୱର ଓ ବାଲେଶ୍ୱରରେ ତାଙ୍କର ବେଆଇନ କାରବାରକୁ ରାଜନୀତିକ ସୁରକ୍ଷା ଯୋଗାଇଥିବା ନେତାଙ୍କ ନାଁ କାଳେ ସେ ଜେରାବେଳେ କହିଦେବେ ସେଇ ଆଶଙ୍କା ଘାରିଛି ଜିଲ୍ଲାର କେତେକ ବିଜେଡି ନେତାଙ୍କୁ । ଗ୍ରୀନ ରେ କମ୍ପାନୀର ଏକ ଶାଖା କମ୍ପାନୀକୁ ମଧ୍ୟ ଉଦଘାଟନ କରିଥିଲେ ଶାସକ ଦଳର ଜଣେ ପ୍ରଭାବଶାଳୀ ନେତା । ସେ ମଧ୍ୟ ଏବେ ସିବିଆଇ ନଜରରେ ।

ଜାଲ ପାସପୋର୍ଟ ବଳରେ ବାଂଲାଦେଶରୁ କୋଲକାତା ଆସିବା ପରେ ଗ୍ରୀନ ରେ ମୁଖ୍ୟ ମିର୍ ସାହିରୁଦ୍ଧିନଙ୍କୁ ଗିରଫ କରିଥିଲା ସିବିଆଇ । ଆଜି ତାଙ୍କୁ ଭୁବନେଶ୍ୱର ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ୧୦ ଦିନ ପାଇଁ ହେପାଜତକୁ ନେବାକୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଥିଲା । କିନ୍ତୁ ବିଚାରପତି ୬ ଦିନ ରିମାଣ୍ଡ ଅନୁମତି ଦେଇଥିଲେ । ଏହି ୬ ଦିନ ସିବିଆଇ ହେପାଜତରେ ରହିବେ ସାହିରୁଦ୍ଧିନ । ତାଙ୍କୁ ସିବିଆଇ ଅଧିକାରୀମାନେ ଗ୍ରୀନ ରେ ସଂସ୍ଥାର ବେଆଇନ କାରବାର, ତାଙ୍କର ରାଜନୀତିକ ଓ ପ୍ରାଶାସନିକ ସୁରକ୍ଷାଦାତା, ମନି ଲଣ୍ଡରିଂ, ଅଣ୍ଡର ୱାର୍ଲଡ ସଂପୃକ୍ତି ଆଦି ବିଷୟରେ ଜେରା କରିପାରନ୍ତି । 

ଚିଟ ଫଣ୍ଡ ଦୁର୍ନୀତି ଧରାପଡ଼ିବା ପରେ ଜଳେଶ୍ୱର ଥାନା ଅନ୍ତର୍ଗତ ଶାସନାବାଦ ଗାଁର ସାହିରୁଦ୍ଧିନ ପରିବାର ସହିତ ଫେରାର ହୋଇଯାଇଥିଲେ । ସେ ଆଫି୍ରକୀୟ ରାଷ୍ଟ୍ର ନାଇଜେରିଆରେ ଗ୍ରୀନ ରେ ନାଇଜେରିଆର ନାମରେ ଏକ କମ୍ପାନୀ ଖୋଲିଥିଲେ । ଏହି କମ୍ପାନୀ ସେଠାରେ ଏକ ଲୁହା ଖଣି ଲିଜ୍ ନେଇଥିବା ଜଣାପଡ଼ିଛି । ସାହିରୁଦ୍ଧିନ ତାଙ୍କ ପରିବାର ନେଇ ନାଇଜେରିଆର ରାଜଧାନୀ ଆବୁଜାରେ ୨୦୧୩ ମସିହାରୁ ରହୁଥିଲେ । 

କୌଣସି କାରଣରୁ ସେ ବାଂଲାଦେଶ ଦେଇ ଭାରତ ଫେରିବା ସମୟରେ ଶୁକ୍ରବାର ଦିନ ସିବିଆଇ ତାଙ୍କୁ କୋଲକାତାର ରାଜାରହାଟ ଅଂଚଳରୁ ଗିରଫ କରିଥିଲା । ସେ ଅହମଦ ହୁସେନ ନାମରେ ଏକ ଜାଲ ପାସପୋର୍ଟରେ ବାଂଲାଦେଶରୁ ଭାରତକୁ ଆସିଥିଲେ । ଏହା ପୂର୍ବରୁ ସାହିରୁଦ୍ଧିନଙ୍କୁ ବେଆଇନ ଅର୍ଥ କାରବାର ଅଭିଯୋଗରେ ନାଇଜେରିଆର ଷ୍ଟେଟ୍ ସିକୁ୍ୟରିଟି ସର୍ଭିସ ପୁଲିସ ୨୦୧୫ ଜୁଲାଇ ମାସରେ ଗିରଫ କରିଥିଲା । କିନ୍ତୁ ସେ କୌଣସି ଉପାୟରେ ସେଠାରେ ଜାମିନ ପାଇଥିଲେ । 

ସାହିରୁଦ୍ଧିନଙ୍କୁ ଭୁବନେଶ୍ୱର ଆଣିବା ପରେ ସିବିଆଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଛି ଯେ ତାଙ୍କ ସଂସ୍ଥା ଓଡ଼ିଶାରେ ବନ୍ଦ ହୋଇଯାଇଛି ବୋଲି ଜାଣି ନଥିଲେ । ଭାରତ ଫେରିବା ପରେ ଜାଣିଲେ । ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ତାଙ୍କର କୌଣସି ରାଜନେତାଙ୍କ ସହିତ ସଂପର୍କ ନାହିଁ । ସେ ବ୍ୟାବସାୟିକ କାର୍ଯ୍ୟରେ ବିଦେଶ ଯାଇଥିଲେ ବୋଲି କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗ୍ରୀନ ରେ ଇଣ୍ଟର୍ନେସନାଲ କମ୍ପାନୀ ଓ ଏହାର ୪ ଜଣ ନିଦେ୍ର୍ଧଶକଙ୍କ ବିରୋଧରେ ଓଡ଼ିଶାର ବିଭିନ୍ନ ଥାନାରେ ୧୩ଟି ମାମଲା ରୁଜୁ ହୋଇଛି । ଛତିଶଗଡ଼ରେ ମଧ୍ୟ ସେମାନଙ୍କ ବିରୋଧରେ ୫ଟି କେସ୍ ଚାଲିଛି । କମ୍ପାନୀର ୪ ଜଣ ନିଦେ୍ର୍ଧଶକଙ୍କ ମଧ୍ୟରେ ପରିଚାଳନା ନିଦେ୍ର୍ଧଶକ ହେଲେ ମିର୍ ସାହିରୁଦ୍ଧିନ । ଅନ୍ୟ ତିନି ଜଣ ନିଦେ୍ର୍ଧଶକ ହେଲେ ତାଙ୍କ ଭାଇ ମିର୍ ତାହିରୁଦ୍ଧିନ, ଖାଲିକ ଶାହା ଓ ଆୟୁବ ଶାହା । ଆୟୁବ ଶାହାଙ୍କୁ ଛତିଶଗଡ଼ ପୁଲିସ ୨୦୧୪ ଅକ୍ଟୋବରରେ ରାଜସ୍ତାନର ଆଜମେରରୁ ଗିରଫ କରିବାରେ ସଫଳ ହୋଇଥିଲା । ସେତେବେଳେ ସେ ବାଂଲାଦେଶ ଦେଇ ନାଇଜେରିଆ ପଳାଇବା ଉଦ୍ୟମରେ ଥିଲେ । 

ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କରିଥିବା ରାଜ୍ୟର କ୍ରାଇମ ବ୍ରାଞ୍ଚ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଉପରେ ୨୦୧୩ ମସିହାରେ ଚଢ଼ାଉ କରି ଅନେକ ଫାଇଲପତ୍ର ଜବତ କରିଥିଲା । ସେତେବେଳେ ଅଫିସକୁ ସିଲ୍ କରିଦିଆଯାଇଥିଲା । କମ୍ପାନୀର ୨୦.୬୮ ଏକର ଜମି, ୫୭ ଲକ୍ଷ ଟଙ୍କା, ୪୬ଟି ବ୍ୟାଙ୍କ ଆକାଉଣ୍ଟ, ୨୪୬ ଗ୍ରାମ ସୁନା ଓ ୯.୫ କିଲୋଗ୍ରାମ ରୁପା ଜବତ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଗ୍ରୀନ ରେ କମ୍ପାନୀ ଓଡ଼ିଶାରୁ ପ୍ରାୟ ୫୦୦ କୋଟି ଏବଂ ଛତିଶଗଡ଼ରୁ ୨୦୦ କୋଟି ଟଙ୍କା ଠକି ନେଇଛି । କମ୍ପାନୀ ପ୍ରସାଧାନ ସାମଗ୍ରୀ ଓ ଆୟୁର୍ବେଦିକ ଔଷଧ, ସୁନା ଓ ହୀରା ବ୍ୟବସାୟରେ ମଧ୍ୟ କୋଟିକୋଟି ଟଙ୍କା ଖଟେଇଛି । ଏହାର ଆୟୁର୍ବେଦିକ ଉପôାଦନକୁ ଉଦଘାଟନ କରିଥିଲେ ଶାସକ ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ମନ୍ତ୍ରୀ । ସେହିପରି ଜଳେଶ୍ୱରର ଜଣେ ବିଜେଡି ନେତା ଏହି କମ୍ପାନୀ ପାଇଁ ଭୁବନେଶ୍ୱରର ନେତା ଓ ବାବୁମାନଙ୍କ ସହ ଯୋଗାଯୋଗରେ ଥିଲେ ।

ଏବେ ସିବିଆଇ ସାହିରୁଦ୍ଧିନଙ୍କୁ ହେପାଜତକୁ ନେବା ପରେ ଏହି ନେତାମାନଙ୍କ ମଧ୍ୟରେ ନାନାଦି ଆଶଙ୍କା ସୃଷ୍ଟି ହୋଇଥିବା ଶୁଣାଯାଉଛି । ସେ ଯଦି ଶାସକ ଦଳର ନାଁ ନିଅନ୍ତି ତେବେ ପଂଚାୟତ ନିର୍ବାଚନ ଉପରେ ତାହାର କିଛିଟା ପ୍ରଭାବ ପଡ଼ିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି ।


Tags:
CBI /