ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

୨୦୧୭-୧୮ ବର୍ଷ ପାଇଁ ୨୧.୪୭ ଲକ୍ଷ କୋଟି ଟଙ୍କାର ବଜେଟ

3rd Feb 2017

ନୂଆଦିଲ୍ଲୀ:  ୨୦୧୭-୧୮ ଆର୍ଥôକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ଉପସ୍ଥାପନ କରିଛନ୍ତି ତାଙ୍କର ବହୁ ଅପେକ୍ଷିତ ତଥା ବହୁଚର୍ଚ୍ଚିତ ସାଧାରଣ ବଜେଟ । ବଦଳାଅ, ସଶକ୍ତ କର ଓ ପରିମଳ କର ସଂକଳ୍ପ ସହିତ ଆଗତ ଏହି ବଜେଟରେ ପ୍ରଥମ ଥର ପାଇଁ ରେଳ ବଜେଟ ସାମିଲ ଅଛି । ପ୍ରଥମ ଥର ପାଇଁ ବଜେଟରେ ଯୋଜନା ଓ ଅଣଯୋଜନା ବିଭାଜନ ରହିନାହିଁ । ପ୍ରଥମ ଥର ପାଇଁ ମଧ୍ୟ ସାଧାରଣ ବଜେଟ ସହିତ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ଏକ ଫଳାଫଳ ବଜେଟ । ସେହିପରି ପ୍ରଥମ ଥର ପାଇଁ ବଜେଟକୁ ମାସକ ଆଗରୁ ଫେବୃଆରୀ ପହିଲାରେ ଆଗତ କରାଯାଇଛି । ବଜେଟରେ ଅର୍ଥମନ୍ତ୍ରୀ ୨୧.୪୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ବରାଦ କରିଛନ୍ତି । ଏଥିରେ ବ୍ୟକ୍ତିଗତ ଆୟକର ଦାତାଙ୍କ ପାଇଁ କିଛିଟା ରିହାତି ଘୋଷଣା କରାଯାଇଛି । ଏଣିକି ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କର ଆଦାୟ ହେବ ନାହିଁ । ଅଧିକନ୍ତୁ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କାର ଆୟ ଉପରେ ପୂର୍ବରୁ ୧୦ ପ୍ରତିଶତ କର ଆଦାୟ ହେଉଥିବାବେଳେ ଏବେ ତାହାକୁ ୫ ପ୍ରତିଶତକୁ କମାଇ ଦିଆଯାଇଛି । 

ଦୁର୍ନୀତି, ଦରବୃଦ୍ଧି ଓ କଳାଟଙ୍କା ବିରୋଧରେ ସଂକଳ୍ପ ସହିତ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଆଗତ କରିଥିବା ୨୦୧୭-୧୮ ବର୍ଷର ସାଧାରଣ ବଜେଟରେ ଗ୍ରାମ ବିକାଶ, ଭିତ୍ତିଭୂମି ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସର୍ବାଧିକ ବ୍ୟୟ ବରାଦ କରାଯାଇଛି । ବଜେଟରେ ଆର୍ଥôକ ସଂସ୍କାର ଅବ୍ୟାହତ ରଖିବାର ପ୍ରତିଶ୍ରୁତି ସହିତ ବିତ୍ତୀୟ ବିଜ୍ଞତା ଉପରେ ଗୁରୁତ୍ୱ ଦିଆଯାଇଥିବା ଜେଟଲି କହିଛନ୍ତି । କୃଷି ବିକାଶ ଓ ଗ୍ରାମୀଣ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସର୍ବାଧିକ ବ୍ୟୟ ବରାଦ କରାଯାଇଥିବା ଦାବି ହୋଇଛି ।

ବଜେଟରେ ୨୦୧୭-୧୮ ବର୍ଷ ପାଇଁ ମୋଟ ୨୧.୪୭ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଥିରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ହାର ୩.୨ ପ୍ରତିଶତ ମଧ୍ୟରେ ରଖାଯାଇଛି । ତତପର ବର୍ଷ ଏହାକୁ ୩ ପ୍ରତିଶତକୁ କମାଇବା ପାଇଁ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏହି ବଜେଟରେ ରାଜସ୍ୱ ନିଅଣ୍ଟ ପରିମାଣ ୧.୯ ପ୍ରତିଶତ ମଧ୍ୟରେ ରଖାଯାଇଛି । ଏଫଆରବିଏମ ଆଇନ ଅନୁସାରେ ଏହା ୨ ପ୍ରତିଶତ ମଧ୍ୟରେ ରହିବା କଥା ।

ଏହି ବର୍ଷ କେନ୍ଦ୍ର ପାଇଥିବାକୁ ଥିବା ସମ୍ବଳରୁ ରାଜ୍ୟ ଓ ବିଧାନସଭା ଥିବା କେନ୍ଦ୍ର ଶାସିତ ଅଚଂଳଗୁଡ଼ିକୁ ୪.୧୧ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯିବ । ପୂର୍ବ ବର୍ଷ ଏହି ପରିମାଣ ଥିଲା ୩.୬୦ କୋଟି ଟଙ୍କା । ଆସନ୍ତା ବର୍ଷ ପାଇଁ ବଜେଟରେ ପ୍ରତିରକ୍ଷା ବିଭାଗ ପାଇଁ ୨,୭୪,୧୧୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । 

ଗାଁ ଓ କୃଷି ବିକାଶ: ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଛନ୍ତି ଯେ ୨୦୧୭-୧୮ ବର୍ଷରେ କୃଷି କ୍ଷେତ୍ରରେ ୧୦ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । କୃଷି ବିକାଶ ଲକ୍ଷ୍ୟରେ ୫ ହଜାର କୋଟି ଟଙ୍କାର ଅଣୁ ସେଚ ପାଣ୍ଠି ଓ ୪୦ ହଜାର କୋଟି ଟଙ୍କାର ଦୀର୍ଘକାଳୀନ ସେଚ ପାଣ୍ଠି ଗଠନ କରିବା କଥା ଘୋଷଣା କରାଯାଇଛି । ଗାଈ ପାଳନକୁ ପ୍ରୋତ୍ସାହନ ଦେବା ପାଇଁ ନାବାଡର଼୍ ଜରିଆରେ ୮ ହଜାର କୋଟି ଟଙ୍କାର ଏକ ତିନି ବର୍ଷିଆ ପାଣ୍ଠି ଗଠନ କରାଯିବ । ପ୍ରଥମ ବର୍ଷ ଏଥିରେ ୨ ହଜାର କୋଟି ଟଙ୍କା ରଖାଯିବ । ଏକ ଆଦର୍ଶ ଠିକା କୃଷି ଆଇନ ପ୍ରଣୟନ କରାଯିବ ବୋଲି ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ବର୍ଷ ୨୦୧୯ ସୁଦ୍ଧା ଦେଶର ୫୦ ହଜାର ଗ୍ରାମ ପଂଚାୟତକୁ ଦାରିଦ୍ର୍ୟମୁକ୍ତ କରିବା ପାଇଁ ଅନ୍ତ୍ୟୋଦୟ ଅଭିଯାନରେ ୧ କୋଟି ପରିବାରକୁ ସାମିଲ କରାଯିବ । ଏହି ପରିବାରଗୁଡ଼ିକୁ ପରିପୋଷଣୀୟ ଜୀବିକା ଯୋଗାଇ ଦିଆଯିବ । ଗ୍ରାମାଞ୍ଚଳ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ପାଇଁ ୨୦୧୭ ମାର୍ଚ୍ଚ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ୫ ଲକ୍ଷ ବଦଳରେ ୧୦ ଲକ୍ଷ ଚାଷପୋଖରୀ ଖୋଳା ସରିବ । ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ୨୦୧୬-୧୭ ବର୍ଷ ୩୮,୫୦୦ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ୨୦୧୭-୧୮ ବର୍ଷରେ ଏହି ପରିମାଣ ୪୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । 

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ଆସନ୍ତା ବର୍ଷ କେନ୍ଦ୍ର ସରକାର ୧୯ ହଜାର କୋଟି ଟଙ୍କା ଦେବେ । ରାଜ୍ୟଗୁଡ଼ିକର ଅଂଶ ମିଶିଲେ ଏହି ବର୍ଷ ଏ କ୍ଷେତ୍ରରେ ମୋଟ ୨୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୨୩ ହଜାର କୋଟି ଟଙ୍କା ନିବେଶ ହେବ । ପୂର୍ବ ବଜେଟରେ ଏ ବାବଦରେ ୧୫ ହଜାର କୋଟି ଟଙ୍କାର ପ୍ରସ୍ତାବ ଥିଲା । ୨୦୧୯ ସୁଦ୍ଧା ଗ୍ରାମାଞ୍ଚଳରେ କଚ୍ଚା ଘରେ ବସବାସ କରୁଥିବା ୧ କୋଟି ପରିବାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । 

ଅର୍ଥମନ୍ତ୍ରୀ କହିଛନ୍ତି କୃଷି, ଗ୍ରାମ ବିକାଶ ଓ ଆନୁସଙ୍ଗିକ କ୍ଷେତ୍ରରେ ଆସନ୍ତା ଆର୍ଥôକ ବର୍ଷରେ ମୋଟ ୧,୮୭,୨୨୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । 

ଶିକ୍ଷା ଓ ସ୍ୱାସ୍ଥ୍ୟ

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଏବେ ଦେଶର ୬୦ ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ୬୦୦ ଜିଲ୍ଲାକୁ ସଂପ୍ରସାରିତ ହେବ । ଜୀବିକା ଉନ୍ନତି ପାଇଁ ଦକ୍ଷିତା ଆହରଣ ଓ ଜ୍ଞାନ ସଚେତନତା କାର୍ଯ୍ୟକ୍ରମ ବା ସଂକଳ୍ପ ଜରିଆରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚରେ ୩.୫ କୋଟି ଯୁବକଯୁବତୀଙ୍କୁ ତାଲିମ ଦିଆଯିବ । ଆସନ୍ତା ବର୍ଷ ଷ୍ଟ୍ରାଇଭ୍ କାର୍ଯ୍ୟକ୍ରମରକ ଦ୍ୱିତୀୟ ପର୍ଯ୍ୟାୟ ୨୨୦୦ କୋଟି ଟଙ୍କା ଖର୍ଚ୍ଚରେ ଆରମ୍ଭ ହେବ । ସୂଚନା ପ୍ରଯୁକ୍ତି ଶିକ୍ଷା କ୍ଷେତ୍ରରେ ସ୍ୱୟମ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବ । ଉନ୍ନତ ମାନର ଉଚ୍ଚସ୍ତର ଶିକ୍ଷା ପାଇଁ ୟୁଜିସି ସ୍ତରରେ ସଂସ୍କାର କରାଯିବ । ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ସଂସ୍କାର ଅଣାଯିବ । 

ଦେଶର ୧୪ ଲକ୍ଷ ଆଇସିଡିଏସ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଶକ୍ତି କେନ୍ଦ୍ର ସ୍ଥାପନ କରାଯିବ । ଏ ବାବଦରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏସବୁ କେନ୍ଦ୍ର ଜରିଆରେ ମହିଳାଙ୍କ ଦକ୍ଷତା ବିକାଶ, ନିଯୁକ୍ତି, ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ କରାଯିବ । ହସ୍ପିଟାଲରେ ପିଲା ଜନ୍ମ କରୁଥିବା ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୬ ହଜାର ଟଙ୍କା ପଠାଇ ଦିଆଯିବ । ମୋଟ ଉପରେ ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ପୂର୍ବ ବର୍ଷ ୧,୫୬,୫୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏବର୍ଷ ୧,୮୪,୬୩୨ କୋଟି ଟଙ୍କା ଖର୍ଚ୍ଚ ହେବାର ପ୍ରସ୍ତାବ ରହିଛି ।

ଗୁଜରାଟ ଓ ଝାଡ଼ଖଣ୍ଡରେ ଦୁଇଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ବା ଏମ୍ସ ଶାଖା ପ୍ରତିଷ୍ଠା କରାଯିବ । ମେଡିକାଲ ଶିକ୍ଷା ଓ ବୃତ୍ତିରେ ସଂସ୍କାର ଅଣାଯିବ । 

ତଫସିଲଭୁକ୍ତ ଜାତିର ଲୋକଙ୍କ କଲ୍ୟାଣ ପାଇଁ ଆସନ୍ତା ବର୍ଷ ୫୨,୩୯୩ କୋଟି ଟଙ୍କା ଖର୍ଚ୍ଚ ହେବ । ପୂର୍ବ ବଜେଟରେ ଏଥିପାଇଁ ୩୮,୮୩୩ କୋଟିର ପ୍ରସ୍ତାବ ଥିଲା । ତଫସିଲଭୁକ୍ତ ଜନଜାତିଙ୍କ କଲ୍ୟାଣ ପାଇଁ ୩୧,୯୨୦ କୋଟି ଓ ସଂଖ୍ୟାଲଘୁ ସଂପ୍ରଦାୟର ବିକାଶ ପାଇଁ ୪,୧୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । 

ରେଳ, ସଡ଼କ, ଯୋଗାଯୋଗ

ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୨୦୧୭-୧୮ ବର୍ଷରେ ମୋଟ ୩,୯୬,୧୩୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରୁ ରେଳ, ରାସ୍ତା ଓ ଜାହାଜ ଚଳାଚଳ ପାଇଁ ୨,୪୧,୩୮୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି । 

୨୦୧୭-୧୮ ବର୍ଷ ବଜେଟରେ ରେଳବାଇର ପୁଂଜି ଓ ବିକାଶ ପାଇଁ ମୋଟ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରୁ ସରକାର ୫୫ ହଜାର କୋଟି ଟଙ୍କା ଦେବେ । ଆସନ୍ତା ବର୍ଷ ୩୫୦୦ କିଲୋମିଟରର ରେଳ ଧାରଣା ପଡ଼ିବ । ପୂର୍ବ ବର୍ଷ ଏହି ପରିମାଣ ଥିଲା ୨୮୦୦ କିମି । ଯାତ୍ରୀ ନିରାପତ୍ତା ପାଇଁ ଆସନ୍ତା ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଏକ ରାଷ୍ଟ୍ରୀୟ ରେଳ ସଂରକ୍ଷା କୋଷ ଗଠନ କରାଯିବ । ନୂଆ ମେଟ୍ରୋ ନୀତି ପ୍ରଣୟନ କରାଯିବ । 

୨୦୨୦ ସୁଦ୍ଧା ଦେଶରୁ ସବୁ ଜଗୁଆଳୀ ବିହୀନ ରେଳ ଫାଟକକୁ ହଟାଇଦେବା ଲାଗି ବ୍ୟବସ୍ଥା ହେବବୋଲି କହିଛନ୍ତି । ୨୦୧୭-୧୮ ବର୍ଷରେ ଅଧିକ ୩୫୦୦ କିଲୋମିଟର ରେଳ ପଥ ନିର୍ମାଣ କରାଯିବ । ୭ଟି ରାଜ୍ୟରେ ୧୭ଟି ପ୍ରକଳ୍ପକୁ ପ୍ରାଥମିକତା ଭିତିରେ କାର୍ଯ୍ୟକାରି କରିବା ଲାଗି ଚିହ୍ନଟ କରାଯାଇଛି । ୫୦୦ ଷ୍ଟେସନର ପୁନଃ ବିକାଶ କରାଯିବା ସହ ଏହି ସବୁ ଷ୍ଟେସନକୁ ଦିବ୍ୟାଙ୍ଗ ଜନଙ୍କ ପାଇଁ ସୁଗମ୍ୟ କରାଯିିବ । ୫ହଜାର ଷ୍ଟେସନରେ ସୌରଶକ୍ତି ବ୍ୟବହାର ଲାଗି ଉଦ୍ୟମ ହେବ । ସେଥିମଧ୍ୟରୁ ୨ହଜାର ଷ୍ଟେସନରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାରମ୍ଭ କରାଯିବ । ୨୦୧୯ ସୁଦ୍ଧା ସମସ୍ତ ରେଳ ବଗିରେ ଜୈବ ଶୌଚାଳୟ ବା ବାୟୋ ଟଏଲେଟ୍ ବ୍ୟବସ୍ଥା କରାଯିବ । ମେଟ୍ରୋ ରେଳ ପାଇଁ ଏକ ନୂଆ ନୀତି ପ୍ରଣୟନ କରାଯିବ । ଆଇଆରସିଟିସି ଜରିଆରେ କରାଯାଉଥିବା ଇ-ଟିକେଟ ଉପରୁ ସେବାକର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ଲାଗି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ସଡ଼କ କ୍ଷେତ୍ରରେ ୬୪,୯୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ । ଏହି ବର୍ଷ ୨୦୦୦ କିଲୋମିଟରର ଉପକୂଳ ସଂଯୋଗ ସଡ଼କ ନିର୍ମାଣ କରାଯିବ । ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକରେ ପିପିପି ପଦ୍ଧତିରେ ବିମାନ ବନ୍ଦର ନିର୍ମାଣ କରାଯିବ । 

ଆସନ୍ତା ବର୍ଷ ଶେଷ ସୁଦ୍ଧା ୧.୫ ଲକ୍ଷ ପଂଚାୟତରେ ଅପ୍ଟିକାଲ ଫାଇବରରେ ବ୍ରୋଡ଼ ବ୍ୟାଣ୍ଡ ସେବା ଉପଲବ୍ଧ ହେବ । ଭାରତ ନେଟ୍ ପ୍ରକଳ୍ପରେ ଏହି ବର୍ଷ ୧୦ ହଜାର କୋଟି ଖର୍ଚ୍ଚ ହେବ । ଡିଜିଟାଲ କୌଶଳରେ ଟେଲି ମେଡିସିନ, ଟେଲି ଶିକ୍ଷା ଓ ଦକ୍ଷତା ସେବା ଯୋଗାଇବାକୁ ଡିଜିଗାଁ ପ୍ରକଳ୍ପ ଆରମ୍ଭ ହେବ ।

ଶକ୍ତି, ବାଣିଜ୍ୟ

ରାଜସ୍ଥାନର ବିକାନେର ଓ ଓଡ଼ିଶାର ଚଣ୍ଡିଖୋଲରେ ଦୁଇଟି ଅଶୋଧିତ ତୈଳ ଭଣ୍ଡାର ନିର୍ମାଣ କରାଯିବ । ଅତିରିକ୍ତ ୨୦ ହଜାର ମେଗାୱାର ସୌରଶକ୍ତି ଉପôାଦନ ପାଇଁ ସୋଲାର ପାର୍କ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । 

ରପ୍ତାନିଭିତ୍ତିକ ବାଣିଜ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଟିଆଇଇଏସ ବା ଟାଇଜ୍ ନାମକ ଏକ ନୂଆ କେନ୍ଦ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଏହି ବର୍ଷ ଏଫଆଇପିବି ବା ବିଦେଶୀ ପୁଂଜି ଉନ୍ନୟନ ପରିଷଦକୁ ରଦ୍ଧ କରିଦେବେ । ଏଣିକି ଅନଲାଇନ ଜରିଆରେ ବିଦେଶୀ ପୁଂଜି ପ୍ରସ୍ତାବ ଗ୍ରହଣ କରାଯିବ । ଷ୍ଟକ ବଜାର, ସିକି୍ୟରୁଟିଜ ଏକ୍ସଚେୟ୍ଜ ବୋଡର଼୍, ଏଫପିଆଇ, ରିଜର୍ଭ ବ୍ୟାଙ୍କ ଓ ସିବିଡିଟିର କାର୍ଯ୍ୟକ୍ରମରେ ବ୍ୟାପକ ସଂସ୍କାର ଅଣାଯିବ । ଅବୈଧ ଜମା ବନ୍ଦ ପାଇଁ ନୂଆ ଆଇନ ପ୍ରଣୟନ ହେବ । ରେଳବାଇର ଆଇଆରଟିସି, ଆଇଆରଏଫସି, ଆଇଆସିଓଏନ ଆଦି କମ୍ପାନୀ ଷ୍ଟକ ମାର୍କେଟରେ ପ୍ରବେଶ କରିବେ । ଦେଶର ସରକାରୀ ତୈଳ କମ୍ପାନୀଗୁଡ଼ିକୁ ମିଶାଇ ଏକ ବୃହତ ତୈଳ କମ୍ପାନୀ ସୃଷ୍ଟି କରାଯିବ । 

ବ୍ୟାଙ୍କଗୁଡ଼ିକୁ ଏହି ବଷଁ ୧୦ ହଜାର କୋଟି ଟଙ୍କାର ପୁଂଜି ଯୋଗାଇ ଦିଆଯିବ । ପରେ ଦରକାର ପଡ଼ିଲେ ଆହୁରି ଦିଆଯିବ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୨.୪୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାର୍ଯ୍ୟକ୍ରମ ଅଧୀନରେ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ମହିଳାମାନଙ୍କୁ ଋଣ ଦିଆଯିବ । 

ଅର୍ଥମନ୍ତ୍ରୀ ତାଙ୍କ ବଜେଟ ପ୍ରସ୍ତାବରେ ବିମୁଦ୍ରାକରଣ ପରବର୍ତ୍ତୀ ବେନଗଦୀ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ।  ରାଜନୀତିକ ଦଳଗୁଡ଼ିକୁ ନଗଦ ଚାନ୍ଦା ବାରଣ କରାଯାଇଛି । ସେମାନେ ୨ ହଜାର ଟଙ୍କାରୁ ଅଧିକ ଚାନ୍ଦା ଚେକ୍, ଡ୍ରାଫ୍ଟ ବା ଡିଜିଟାଲ ପଦ୍ଧତିରେ ଗ୍ରହଣ କରିବେ । ସବୁ ରାଜନୀତିକ ଦଳ ନିୟମିତ ଆୟବ୍ୟୟ ହିସାବ ଦେବାକୁ ବଜେଟରେ ପ୍ରସ୍ତାବ ଦିଆଯାଇଛି ।


Tags:
budget /