ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଦ୍ୱିତୀୟ ଟ୍ୱେଣ୍ଟି-୨୦: ଇଂଲଣ୍ଡକୁ ୫ ରନ୍ରେ ହରାଇଲା ଭାରତ

30th Jan 2017

ନାଗପୁର: ଡେଥ୍ ଓଭରରେ ଜସ୍ପ୍ରୀତ ବୁମ୍ରାଙ୍କ ଅଗ୍ନୀବର୍ଷୀ ବୋଲିଂ ବଳରେ ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟ୍ୱେଣ୍ଟି-୨୦ରେ ଇଂଲଣ୍ଡକୁ ୫ ରନ୍ରେ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି । ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୧-୧ରେ ବରାବର କରିଛି । ସ୍ଥାନୀୟ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍ରେ ଭାରତ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରି ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୮ ୱିକେଟ୍ ହରାଇ ୧୪୪ ରନ୍ର ସମ୍ମାନଜନକ ସ୍କୋର କରିଥିଲା । ଅଧିନାୟକ ବିରାଟ କୋହଲି ୨୧, ରାହୁଲ ୭୧ (୪୭ ବଲ୍, ୬ ଚୌକା, ୨ ଛକା), ମନୀଷ ପାଣ୍ଡେ ୩୦ ରନ୍ କରିଥିବାବେଳେ ସୁରେଶ ରାଇନା ୭, ଯୁବରାଜ ସିଂ ୪, ମହେନ୍ଦ୍ର ସିଂହ ଧୋନି ୫, ହାର୍ଦ୍ଧିକ ପାଣ୍ଡ୍ୟା ୨ ରନ୍ କରି ଫେଲ୍ ମାରିଥିଲେ । ଇଂଲଣ୍ଡର ସଫଳ ବୋଲର କ୍ରିସ୍ ଜୋର୍ଡାନ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭର ଖେଳି ୬ ୱିକେଟ୍ ବିନିମୟରେ ୧୩୯ ରନ୍ କରି ପରାଜୟବରଣ କରିଥିଲା । ଓପନିଂ ବ୍ୟାଟ୍ସମ୍ୟାନ୍ ଜାସନ ରୟ ୧୦, ସାମ ବିଲିଙ୍ଗ୍ସ ୧୨, ଜୋଏ ରୁଟ୍ ୩୮, ଅଧିନାୟକ ଇଅନ୍ ମୋର୍ଗାନ ୧୭, ବେନ୍ ଷ୍ଟୋକ୍ସ ୩୮, ଜସ୍ ବଟ୍ଟଲର ୧୫ ରନ୍ କରିଥିଲେ । ଭାରତର ସଫଳ ବୋଲର ଆଶିଷ ନେହେରା ସର୍ବାଧିକ ୩ଟି, ବୁମ୍ରା ୨ଟି ଓ ଅମିତ୍ ମିଶ୍ରା ଗୋଟିଏ ୱିକେଟ୍ ନେଇଥିଲେ । ସଫଳ ବୋଲିଂ ପାଇଁ ବୁମ୍ରାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।


Tags:
second t-20 /