ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଆଦିବାସୀ ହାଟରେ ଜମୁଛି ଭିଡ଼

30th Jan 2017

ଭୁବନେଶ୍ୱର: ଆଦିବାସୀ ହାଟରେ ଜମୁଛି ଭିଡ଼  । ସମସ୍ତେ ଆଦିବାସୀଙ୍କ ଚଳଣି ଭିତରେ ହଜି ଯାଉଛନ୍ତି  । ପୁଣି ଆଦିବାସୀଙ୍କ କୁଡ଼ିଆ ଘର ସମ୍ମୁଖରେ ଯୁବକଯୁବତୀ ଓ କେହି କେହି ସପରିବାର ସହ ସେଲ୍ଫିର ମଜା ନେଉଛନ୍ତି  । ଲୋକମାନେ ଆଦିବାସୀ ସାମଗ୍ରୀ କିଣିବା ସହିତ ଫେରିବା ବେଳେ ମଥୁରା କେକ୍ ଓ ଗୁପ୍ଚୁପ୍ ଖାଇବା ଲାଗି ଭୁଲୁନାହାଁନ୍ତି  । ଅନୁସୂଚିତ ଜନଜାତି ଓ  ଅନୁସୂଚିତ ଜାତି ତଥା ଆଦିବାସୀଙ୍କ ଚାଲିଚଳଣି ଉପରେ ଆଦିବାସୀ ମେଳା-୨୦୧୭ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ  ପ୍ରଦର୍ଶିତ ହେଉଛି  । ହଜାର ହଜାର ଲୋକ ପଡ଼ିଆକୁ ଆସି ଆଦିବାସୀଙ୍କ ଦ୍ୱାରା ନିର୍ମିତ ବାସଗୃହ ଦେଖି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣୁଛନ୍ତି  । ଆଦିବାସୀ ମେଳାର ଚତୁର୍ଥ ଦିନରେ ବେଶ୍ ଗହଳି ଜମିଥିଲା  । କେହି କେହି ପରିବାର ସହିତ ମେଳା ବୁଲାବୁଲି କରିବା ସହିତ ଆଦିବାସୀଙ୍କ ଦ୍ୱାରା ଉପôାଦିତ ଦ୍ରବ୍ୟ କିଣିବାର ମଜା ନେଉଥିଲେ  ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଜନରାଜ୍ୟ ଦିବସଠାରୁ ୟୁନିଟ୍‍-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୧୭ ଆରମ୍ଭ ହୋଇଛି  । ସମ୍ପ୍ରତି ଏହି ମେଳା ଗଣଉତ୍ସବରେ ପରିଣତ ହୋଇଛି  । ସମଗ୍ର ମେଳା ପରିସରକୁ ମୁଖ୍ୟତଃ ନଅ ଗୋଟି ବିଭାଗରେ ବିଭକ୍ତ କରାଯାଇଛି  । ତାହା ହେଲା ଆଦିବାସୀ ହାଟ, ଆଦିବାସୀ ଗ୍ରାମ, ଆଦିବାସୀ ହସ୍ତଶିଳ୍ପ, ସରକାରୀ ଷ୍ଟଲ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ, ବୟନ କଳାମଣ୍ଡପ ଓ ଚିତ୍ରକଳା ମଣ୍ଡପ ।  ମେଳାରେ ଆଦିବାସୀ ଜିଲ୍ଲା ଭାବେ ପରିଚିତ କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଶୈଳୀକୁ ମେଳାରେ ପ୍ରଦର୍ଶନ କରାଯାଇଛି  । କୁଟିଆ, ସାନ୍ତାଳ ଓ ସଉରା କନ୍ଧଙ୍କ ଜୀବନଶୈଳୀ ମେଳାରେ ଦର୍ଶକଙ୍କ ମନ ମୋହୁଛି  । ଆଦିବାସୀ ଘର ପାଖରେ ଯୁବକ ଓ ଯୁବତୀମାନେ ସେଲ୍ଫିର ମଜା ନେଉଛନ୍ତି  । ଚଳିତ ବର୍ଷ ଆଦିବାସୀ ହାଟରେ ବିଭିନ୍ନ ଜଙ୍ଗଲଜାତ ସାମଗ୍ରୀର ବିକି୍ରବଟାର ବ୍ୟବସ୍ଥା ହୋଇଛି  । ଏଠାରେ ୩୦ଟି ପିଣ୍ଡି ରହିଛି  । ଏଠାରେ ଆଇଟିଡ଼ିଏ ଓ ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ପ୍ରସ୍ତୁତ ଓ ଉପôାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି  ।

ଆଦିବାସୀ ହାଟର ପିଣ୍ଡିରେ ସୋରିଷ, ହଳଦୀ, ଅଦା, କାନ୍ଦୁଲ, ମହୁ, ଝୁଣା, ରାଶି, ପେଶି, ପାଳୁଅ ଆଦି ବନଜାତ ଦ୍ରବ୍ୟ ଉପଲବ୍ଧ ହେଉଛି  । ଏହି ହାଟରେ  ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ବିଭିନ୍ନ ଜିଲ୍ଲାରୁ ଆସି ସେମାନଙ୍କ ପସରା ଖୋଲିଛନ୍ତି  । ବଣ୍ଡା ଉନ୍ନୟନ ସଂସ୍ଥା, ମୁଦୁଲିପଡ଼ା, ମାଲକାନଗିରି, ବନଜା ବାଣିଜ୍ୟ ସଂଘ, କୁଚିଣ୍ଡା, ସମ୍ବଲପୁର ଚକୋଟିଆ, ଭୁଞ୍ଜିଆ ଉନ୍ନୟନ ସଂସ୍ଥା, ସୁନାବେଡ଼ା, ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ, ବଣାଇଁ ଜୁଆଙ୍ଗ ଉନ୍ନୟନ ସଂସ୍ଥା, କେନ୍ଦୁଝର ଆଦି ସଂସ୍ଥାର ମହିଳାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିପଣନ କରୁଛନ୍ତି  । ଆଦିବାସୀ ହାଟରେ କେନ୍ଦୁଝର ବଡ଼ିର ବେଶ୍‍ ଚାହିଦା ରହିଛି  । ସେହିପରି ଦାରିଙ୍ଗିବାଡ଼ିର ହଳଦୀ ଓ ଅଦା ପ୍ରତି ମଧ୍ୟ ଲୋକମାନଙ୍କର ଆର୍ଥିକ ଆକର୍ଷଣ ରହିଛି  । ନିୟମଗିରି ସ୍ୱୟଂ ସହାୟକ ଗୋଷ୍ଠୀ ଖମ୍ବେସୀ, ଷ୍ଟଲରେ ହଳଦୀ, କାନ୍ଦୁଲ, ମଣ୍ଡିଆ ଚୂନା, ଝୁଡ଼ଙ୍ଗ, ସୋରିଷ, ବିରି, କୋଳଥ ଆଦିର ଚାହିଦା ରହିଛି  । ଆଦିବାସୀ ହାଟରେ ମିଳୁଥିବା ଜିନିଷର ମୌଳିକ ଗୁଣବତ୍ତା ଏବେ ମଧ୍ୟ ଅକ୍ଷୁର୍ଣ୍ଣ ଥିବାରୁ ତାହା ଲୋକଙ୍କୁ ଅଧିକ ଆକର୍ଷିତ କରୁଥିବାର ଜଣାଯାଇଛି  । ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୧୮୫ଟି ଷ୍ଟଲ ନିର୍ମାଣ କରାଯାଇଛି  । ପ୍ରତ୍ୟହ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଆଦିବାସୀ ମେଳା ଖୋଲା ରହୁଛି  । ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ପରିବେଷିତ ହେଉଛି ଜନଜାତିଙ୍କ ପାରମ୍ପରିକ ନୃତ୍ୟ, ସଂଗୀତ, ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ  ।

ସବୁ ଜିନିଷ ପରି ମେଳାର ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଛି କନ୍ଧମାଳ ଜିଲ୍ଲାର ଫୁଲ ଝାଡୁ  । ଘର ଝାଡୁ କରିବା ପାଇଁ ରାଜଧାନୀରେ ଫୁଲ ଝାଡୁର ଅଭାବ ନାହିଁ ସତ, ହେଲେ ଆଦିବାସୀ ତିଆରି କରିଥିବା ଫୁଲ ଝାଡୁ ଲୋକଙ୍କ ମନକୁ ଛୁଇଁଛି  । ସେହିପରି କନ୍ଧମାଳ ହଳଦି ଗୁଣ୍ଡ  ଓ ଅଦାର ଚାହିଦା ରହିଛି  । ପୁଣି କେନ୍ଦୁଝର ଜିଲ୍ଲାର ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ  ବିଭିନ୍ନ ପ୍ରକାର ବଡ଼ି ଲୋକମାନେ କିଣିବା ଲାଗି ଭଲପାଉଛନ୍ତି  । 

ମୟୂରଭଞ୍ଜ ଜିଲ୍ଲାର ମୁଢ଼ିମାଂସ, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ମାଂସକଷା, ମୁଢ଼ି ଆଳୁଦମ୍, ମୁଢ଼ିପକୁଡ଼ି ସହିତ ଆଳୁଦମ ଓ ଚଣା ମସଲାର ସ୍ୱାଦ ଲୋକମାନଙ୍କୁ ଆକର୍ଷିତ କରୁଛି  । ଢେଙ୍କାନାଳ ଜିଲ୍ଲାର ଧନିଆନାଳୀ ଗ୍ରାମରୁ ଆସିଥିବା ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପିଠା ସାଙ୍ଗକୁ କରଞ୍ଜି, ନିମିକି ଆରିସା ଦର୍ଶକଙ୍କ ଦ୍ୱାରା ଆଦୃତି ଲାଭ କରିଛି  । ଏହି ମେଳା ଆଗାମୀ ଫେବୃଆରି ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲିବ  ।


Tags:
adibasi mela /