ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ବାରବାଟୀରେ ଟିମ ଇଣ୍ଡିଆର ବାଜିମାତ

20th Jan 2017

କଟକ: ଟାର୍ଗେଟ ଥିଲା ୩୮୨ । ଅସମ୍ଭବ ଭଳି ଲାଗୁଥିଲା । କିନ୍ତୁ ଇଅନ୍ ମୋର୍ଗାନଙ୍କ ଧମାକାଦାର ବ୍ୟାଟିଂ ଭାରତୀୟ ବୋଲରଙ୍କୁ ପାଣି ପିଆଇ ଦେଇଥିଲା । କେତେବେଳେ ମ୍ୟାଚ୍ ଭାରତ ଆଡ଼କୁ ଯାଉଥିଲା ତ କେତେବେଳେ ଇଂଲଣ୍ଡ ଆଡ଼କୁ । ଯାହାକି ଉପସ୍ଥିତ ଦର୍ଶକଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଇଥିଲା । ହେଲେ ଶେଷ ହସ ଥିଲା ଟିମ୍ ଇଣ୍ଡିଆ ଓ ପ୍ରଶଂସକଙ୍କର । ଆଉ ବାରବାଟୀ ଦୁର୍ଗ ଦଖଲ ସହ ସିରିଜ୍ ବି କବ୍ଜା କଲା । ଏହି ଛାତିଥରା ମ୍ୟାଚ୍ରେ ଭାରତ ୧୫ ରନ୍ରେ ଇଂଲଣ୍ଡକୁ ମାତ୍ ଦେଇ ରୋମାଞ୍ଚକର ବିଜୟ ସହ ନିଜ ଦବ୍ଦବା ବଜାୟ ରଖିଛି । ଉକ୍ତ ହାଇଭୋଲ୍ଟେଜ ମ୍ୟାଚ୍ରେ ‘ରନ୍ ମେସିନ୍’ କୋହଲିଙ୍କ ଫ୍ଲପ୍ ସୋ’ ସତ୍ତ୍ୱେ ଯୁବରାଜ ଓ ଧୋନିଙ୍କ ଧୂଆଁଧାର ଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ରେ ୩୮୧ ରନ୍ର ବିଶାଳ ସ୍କୋର୍ କରିଥିଲା । ଏହାଥିଲା ଭାରତର ବାରବାଟୀରେ ସର୍ବାଧିକ ଦଳଗତ ସ୍କୋର୍ । ପୂର୍ବରୁ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଭାରତ ୫ ୱିକେଟ୍ ବିନିମୟରେ ୩୬୩ ରନ୍ କରିଥିଲା । ଭାରତର ବିଶାଳ ଟାର୍ଗେଟକୁ ପିଛା କରି ଇଂଲଣ୍ଡ ଭଲ ଆରମ୍ଭ କରିଥିଲା । ଟପ୍ ଅଡର଼୍ର ଓ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଂଲଣ୍ଡ ୮ ୱିକେଟ୍ରେ ୩୬୬ ରନ୍ କରି ପରାଜୟବରଣ କରିଛି । ମ୍ୟାଚ୍ ବିଜୟୀ ଶତକ ପାଇଁ ଯୁବରାଜଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

ଖଚାଖଚ୍ ଦର୍ଶକଙ୍କ କୋଳାହଳପୂର୍ଣ୍ଣ ପରିବେଶରେ ଖେଳାଯାଇଥିବା ଏହି ହାଇସ୍କୋରିଂ ମ୍ୟାଚ୍ରେ ଆମନ୍ତ୍ରଣ ପାଇ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଓପନର ଲୋକେଶ ରାହୁଲ ଓ ଶିଖର ଧାବନ ଇନିଂସ୍ ଓପନ କରିଥିଲେ । ପ୍ରଥମ ମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ବି ରାହୁଲ ନିରାଶ କରିଥିଲେ । ସେ ମାତ୍ର ୫ ରନ୍ କରି ଇଂଲଣ୍ଡ ପେସ୍ ବୋଲର କ୍ରିସ୍ ୱକ୍ସଙ୍କ ପ୍ରଥମ ଶିକାର ପାଲଟିଥିଲେ । ରାହୁଲଙ୍କ ସ୍ଥାନରେ ଆକ୍ସନକୁ ଓହ୍ଲାଇଥିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ତାଙ୍କ ବ୍ୟାଟିଂ ଝଲକ ପାଇଁ ଷ୍ଟାଡିୟମରେ ପ୍ରଶଂସକଙ୍କ ଉକ୍ରଣ୍ଠା ବଢ଼ିଥିଲା । ସେ ପଡ଼ିଆକୁ ଆସିବା ବେଳେ ପ୍ରଶଂସକଙ୍କ ତାଳି ଓ ବିରାଟ.. ବିରାଟ.. ଡାକରେ ଷ୍ଟାଡିୟମ ଫାଟି ପଡ଼ୁଥିଲା । ସେ ୨ଟି ଚୌକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । କିନ୍ତୁ ପେସ୍ ବୋଲର ୱକ୍ସ ‘ରନ୍ ମେସିନ୍’ କୋହଲିଙ୍କୁ ଆଉଟ କରି ଦର୍ଶକଙ୍କୁ ସ୍ତବ୍ଧ କରି ଦେଇଥିଲେ । କୋହଲି ମାତ୍ର ୮ ରନ୍ କରିଥିଲେ । ପରେ ପରେ ଧାବନ ବି ୧୧ ରନ୍ କରି ୱକ୍ସଙ୍କ ତୃତୀୟ ଶିକାର ପାଲଟିଥିଲେ । ବ୍ୟାଟିଂ ବିପର୍ଯ୍ୟୟ ବେଳେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଯୁବରାଜ ଓ ଧୋନି ଆକ୍ସନକୁ ଓହ୍ଲାଇଥିଲେ । ଯୁବି ଦ୍ରୁତ ରନ୍ ସଂଗ୍ରହ କରିଥିବାବେଳେ ଧୋନି ଧିମା ବ୍ୟାଟିଂ କରିଥିଲେ । ସେଟ୍ ହୋଇଯିବା ପରେ ଯୁବି ଓ ଧୋନି ଇଂଲଣ୍ଡ ବୋଲରଙ୍କୁ ନିର୍ଧୂମ୍ ଧୂଲେଇ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ଙ୍କ ଛକା ଓ ଚୌକା ବର୍ଷାରେ ଦର୍ଶକ ଭରପୂର ମଜା ଉଠାଇଥିଲେ । ଯୁବରାଜ ଦୀର୍ଘ ୬ ବର୍ଷ ପରେ ଶତକ ଅର୍ଜନ କରିଥିଲେ । ସେ ଶେଷଥର ପାଇଁ ୨୦୧୧ରେ ଶତକ ଲାଭ କରିଥିଲେ । ଶତକ ପରେ ଯୁବି ତାଙ୍କ ବ୍ୟାଟିଂରେ ଗିଅର ବଦଳାଇଥିଲେ । ଅନ୍ୟପଟେ ଧୋନି ବି ଶତକ ପୂରଣ କରିଥିଲେ । ଦୁହେଁ ରେକଡର଼୍ ୨୫୬ ରନ୍ର ବିଶାଳ ଭାଗିଦାରୀ ଯୋଡ଼ି ଭାରତକୁ ମଜ୍ବୁତ୍ ସ୍ଥିତି ଦେଇଥିଲେ । ଯୁବରାଜ ବ୍ୟକ୍ତିଗତ ୧୫୦ (୧୨୭ ବଲ୍, ୨୧ ଚୌକା, ୩ ଛକା) ରନ୍ କରି ଆଉଟ୍ ହୋଇଯାଇଥିଲେ । ପରେ ଧୋନି ଇନିଂସ୍କୁ ଆଗକୁ ନେଇଥିଲେ । ପ୍ରଥମ ଦିନିକିଆରେ ଶତକ ହାସଲ କରିଥିବା କେଦାର ଯାଦବ ୧୦ ବଲ୍ରୁ ୩ ଚୌକା ଓ ୧ ଛକା ସହ ୨୨ ରନ୍ ଯୋଗଦାନ କରି ପ୍ୟାଭିଲିୟନ ଫେରିଥିଲେ । ଶତକ ପୂରଣ କରି ଖେଳୁଥିବା ଧୋନି ବ୍ୟକ୍ତିଗତ ୧୩୪ (୧୨୨ ବଲ୍, ୧୦ ଚୌକା, ୬ ବିଶାଳ ଛକା) ରନ୍ କରି ଆଉଟ ହୋଇଥିଲେ ହେଁ ହାର୍ଦ୍ଧିକ ପାଣ୍ଡ୍ୟା ୧୯ ଓ ରବିନ୍ଦ୍ର ଜାଡେ଼ଜା ୧୬ ରନ୍ ଯୋଡ଼ି ଭାରତକୁ ୬ ୱିକେଟ୍ରେ ୩୮୧ ରନ୍ର ବିଶାଳ ସ୍କୋର ପ୍ରଦାନ କରିଥିଲେ । ବାରବାଟୀରେ ଏହା ସର୍ବାଧିକ ଦଳଗତ ସ୍କୋର ଅଟେ । ଇଂଲଣ୍ଡର ୱକ୍ସ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ ।

୩୮୨ ରନ୍ର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ଭଲ ଆରମ୍ଭ କରିଥିଲା ।  ଦୁଇ ଓପନର ଜାସନ ରୟ ଓ ଆଲେକ୍ସ ହେଲ୍ସ ୨୮ ରନ୍ ଯୋଗଦାନ କରିବା ପରେ ଭାରତୀୟ ପେସ୍ ବୋଲର ଜସ୍ପ୍ରୀତ ବୁମ୍ରା ହେଲ୍ସ (୧୪)ଙ୍କୁ ଆଉଟ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ । ଅନ୍ୟ ଓପନର ରୟ ଓ ଜୋଏ ରୁଟ୍ ଇନିଂସ୍କୁ ଆଗକୁ ବଢ଼ାଇଥିଲେ । ଦୁହେଁ ଦ୍ରୁତ ରନ୍ ସଂଗ୍ରହ କରିବା ସହ ନିଜ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ଭାରତର ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଠିକଣା ସମୟରେ ଏହି ଯୋଡ଼ି ଭାଙ୍ଗି ଭାରତକୁ ବଡ଼ ସଫଳତା ଦେଇଥିଲେ । ରୁଟ୍ ୫୪ ରନ୍ କରି ଅଶ୍ୱିନୀଙ୍କ ଜାଲରେ ଫଶିଥିଲେ । ରୟ ଓ ଅଧିନାୟକ ମୋର୍ଗାନ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ଅନ୍ୟ ସ୍ପିନର ଜାଡେ଼ଜା ସେଟ୍ ବ୍ୟାଟ୍ସମ୍ୟାନ୍ ରୟଙ୍କୁ କ୍ଲିନ୍ବୋଲ୍ଡ କରି ଇଂଲଣ୍ଡକୁ ଶକ୍ତ ଧକ୍କା ଦେଇଥିଲେ । ରୟ ୭୩ ବଲ୍ରୁ ୮୨ (୯ ଚୌକା, ୨ ଛକା) ରନ୍ କରିଥିଲେ । ମୋର୍ଗାନ ଗୋଟିଏ ପଟେ ଆକ୍ରମଣ ଜାରି ରଖିଥିବାବେଳେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ମାତ୍ର ୧ ରନ୍ କରି ଅଶ୍ୱିନୀଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ୱିକେଟକିପର ଜସ୍ ବଟ୍ଟଲରଙ୍କଠୁ ଦଳ ବଡ଼ ଇନିଂସ୍ ଆଶା କରୁଥିଲେ ମଧ୍ୟ ସେ ୧୦ ରନ୍ କରି ନିରାଶ କରିଥିଲେ । ଷଷ୍ଠ ୱିକେଟ୍ରେ ମୋର୍ଗାନ ଓ ଅଲରାଉଣ୍ଡର ମୋଇନ୍ ଅଲ୍ଲୀ ୯୩ ରନ୍ ଯୋଡ଼ି ଇଂଲଣ୍ଡକୁ ବିଜୟ ଆଶା ଦେଇଥିଲେ । ପେସ୍ ବୋଲର ଭୁବନେଶ୍ୱର କୁମାର  ଅଲ୍ଲୀଙ୍କୁ ଆଉଟ କରି ମ୍ୟାଚ୍କୁ ଭାରତ ସପକ୍ଷକୁ ଆଣିଥିଲେ । ଅଲ୍ଲୀ ୫୫ ରନ୍ କରିଥିଲେ । ତେବେ ମୋର୍ଗାନ ଶତକ ପୂରଣ କରିବା ସହ ନିମ୍ନଭାଗ ଖେଳାଳିଙ୍କୁ ସାଥି କରି ଇଂଲଣ୍ଡକୁ ବିଜୟ ନିକଟତର କରାଇଥିଲେ । ଇନିଂସ୍ର ୪୯ତମ ଓଭରରେ ମୋର୍ଗାନ ସିଙ୍ଗଲ୍ସ ନେବାକୁ ଯାଇ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ଯାହାକି ଇଂଲଣ୍ଡ ପାଇଁ ମହଙ୍ଗା ପଡ଼ିଥିଲା  । ମୋର୍ଗାନ ୮୧ ବଲ୍ରୁ ୬ ଚୌକା ଓ ୫ ଛକା ସହ ୧୦୨ ରନ୍ କରିଥିଲେ । ମୋର୍ଗାନଙ୍କ ଆଉଟ ହେବା ପରେ ଇଂଲଣ୍ଡ ୮ ୱିକେଟ୍ରେ ୩୬୬ ରନ୍ କରି ଅଳ୍ପକେ ପରାଜୟବରଣ କରିଥିଲା । ଭାରତର ସଫଳ ବୋଲର ଅଶ୍ୱିନୀ ୩ଟି, ବୁମ୍ରା ୨ଟି ଏବଂ ଭୁବନେଶ୍ୱର ଓ ଜାଡେ଼ଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।


Tags:
team india won 2nd odi at barabati /