ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଭାରତ-ଇଂଲଣ୍ଡ ଟେଷ୍ଟ: ନାୟରଙ୍କ ତ୍ରିଶତକ; ଭାରତର ରେକଡର଼୍ ସ୍କୋର

20th Dec 2016

ଚେନ୍ନାଇ: ଏଠାରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ୍ କରୁଣ ନାୟରଙ୍କ ରେକଡର଼୍ ତ୍ରିଶତକ ହାସଲ କରିଥିବାବେଳେ ଭାରତ ରେକଡର଼୍ ସ୍କୋର କରିଛି । ସୋମବାର ଚତୁର୍ଥ ଦିବସରେ ନାୟରଙ୍କ ଅପରାଜିତ ୩୦୩ (୩୮୧ ବଲ୍, ୩୨ ଚୌକା, ୪ ଛକା) ରନ୍ର ମାରାଥନ ଇନିଂସ୍ ବଳରେ ଭାରତ ପ୍ରଥମ ଇନିଂସ୍ରେ ୭ ୱିକେଟ୍ ହରାଇ ୭୫୯ ରନ୍ କରି ପାଳି ଘୋଷଣା କରିଛି । ଏଥିସହ ଭାରତ ଟେଷ୍ଟରେ ସର୍ବାଧିକ ସ୍କୋର କରି ରେକଡର଼୍ କରିଛି । ପୂର୍ବରୁ ଭାରତର ସର୍ବାଧିକ ସ୍କୋର ୯ ୱିକେଟ୍ରେ ୭୨୬ ରନ୍ ଥିଲା । ୨୦୦୯ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଭାରତ ଏହି ସ୍କୋର କରିଥିଲା । ତେବେ ନାୟରଙ୍କ ରେକଡର଼୍ ବ୍ରେକିଂ ଇନିଂସ୍ ବଳରେ ଭାରତ ଟେଷ୍ଟରେ ସର୍ବାଧିକ ସ୍କୋର କରିଛି । ଏହାଛଡ଼ା ଭାରତ ଚଳିତ ଟେଷ୍ଟରେ ପ୍ରଥମ ଇନିଂସ୍ରେ ୨୮୨ ରନ୍ର ଅଗ୍ରଣୀ ହାସଲ କରି ଦୃଢ଼ ସ୍ଥିତିରେ ରହିଛି । ଜବାବରେ ଇନିଂସ୍ ପଛୁଆ ରହି ଚାପରେ ଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସ୍ ଆରମ୍ଭ କରି ବିନା କ୍ଷତିରେ ୧୨ ରନ୍ କରି ପରାଜୟ ଏଡ଼ାଇବାକୁ ସଂଘର୍ଷ ଜାରି ରହିଛି । ମ୍ୟାଚ୍ରେ ଆଉ ଗୋଟିଏ ଦିନର ଖେଳ ବାକି ଥିବାବେଳେ ଇଂଲଣ୍ଡ ୧୦ ୱିକେଟ୍ ହାତରେ ଥାଇ ୨୭୦ ରନ୍ରେ ପଛୁଆ ରହିଛି । ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ଆଲିଷ୍ଟର କୁକ୍ ୩ ଓ କିଏଟନ୍ ଜେନିଙ୍ଗ୍ସ ୯ ରନ୍ କରି ଅପରାଜିତ ରହିଛନ୍ତି ।

ଏମ୍ଏ. ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍ର ଚତୁର୍ଥ ଦିବସର ଖେଳର ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ନାମରେ ରହିଥିବାବେଳେ ଇଂଲଣ୍ଡ ବୋଲରଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଭାରତ ତା’ର ଅସମାପ୍ତ ପ୍ରଥମ ଇନିଂସ୍ ୪ ୱିକେଟ୍ରେ ୩୯୧ ରନ୍ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିବସର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ନାୟର (୭୧) ଓ ମୁରଲୀ ବିଜୟ (୧୭) ପ୍ରଥମରୁ ଧିମା ବ୍ୟାଟିଂ କରିଥିଲେ । ବିଜୟ ୨୯ ରନ୍ କରି ଆଉଟ ହେବା ପରେ ନାୟର କ୍ୟାରିୟରର ପ୍ରଥମ ଶତକ ପୂରଣ କରିଥିଲେ । ନାୟର ଓ ଅଲରାଉଣ୍ଡର ଅଶ୍ୱିନୀ ଦମ୍ଦାର ବ୍ୟାଟିଂ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଭାରତକୁ ଅଗ୍ରଣୀ ଦେବା ସହ ଇନିଂସ୍କୁ ଆଗକୁ ବଢ଼ାଇଥିଲେ । ଗୋଟିଏ ପଟେ ନାୟର ଦ୍ୱିଶତକ ହାସଲ କରିଥିବାବେଳେ ଅନ୍ୟପଟେ ଅଶ୍ୱିନୀ ଅର୍ଦ୍ଧଶତକ ପୂରଣ କରି ଭାରତର ସ୍କୋରକୁ ୬୦୦ ଅତିକ୍ରମ କରାଇଥିଲେ । ଦୁହେଁ ୧୮୧ ରନ୍ର ଭାଗିଦାରୀ ଯୋଗଦାନ କରିଥିଲେ । ଅଶ୍ୱିନୀ ବ୍ୟକ୍ତିଗତ ୬୭ (୧୪୯ ବଲ୍, ୬ ଚୌକା, ୧ ଛକା) ରନ୍ କରି ଆଉଟ ହୋଇଯିବା ପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେ଼ଜା ଆକ୍ସନକୁ ଓହ୍ଲାଇଥିଲେ । ଦ୍ୱିଶତକ ପୂରଣ କରିବା ପରେ ନାୟର ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ସେ ଇଂଲଣ୍ଡ ବୋଲରୁ ନିର୍ମମ ପ୍ରହାର କରିଥିଲେ । ଅନ୍ୟପଟେ ଜାଡେ଼ଜା ବି ତାଙ୍କୁ ଭରପୂର ସହଯୋଗ କରିଥିଲେ । ନାୟର ଓ ଜାଡେ଼ଜା ଶତକୀୟ ଭାଗିଦାରୀ ଯୋଡ଼ି ଭାରତକୁ ରେକଡର଼୍ ସ୍କୋରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ଭାରତ ଏହି ମ୍ୟାଚ୍ରେ ପୂର୍ବ ସର୍ବାଧିକ ସ୍କୋର ୯/୭୨୬କୁ ଟପିବାରେ ସଫଳ ହୋଇଥିଲା । ୨୦୦୯ରେ ଭାରତ ପ୍ରତିପକ୍ଷ ଶ୍ରୀଲଙ୍କା ବିପକ୍ଷରେ ଏହି ରେକଡର଼୍ ସ୍କୋର କରିଥିଲା । ତେବେ ନାୟର ଓ ଜାଡେ଼ଜା ଧୂଆଁଧାର ବ୍ୟାଟିଂ କରି ପୂର୍ବ ରେକଡର଼୍କୁ ଭାଙ୍ଗି ଦେଇଥିଲେ । ଜାଡେ଼ଜା ୫୫ ବଲ୍ରୁ ୫୧ (୧ ଚୌକା, ୨ ଛକା) ରନ୍ କରି ଆଉଟ ହୋଇଯାଇଥିଲେ । ତାଙ୍କ ସ୍ଥାନରେ ଉମେଶ ଯାଦବ ଖେଳିବାକୁ ଆସିଥିଲେ । ଅନ୍ୟପଟେ ନାୟର ତ୍ରିଶତକ ପୂରଣ କରି ରେକଡର଼୍ କରିଥିଲେ । ନାୟର ଦ୍ୱିତୀୟ ଭାରତୀୟ କ୍ରିକେଟର ଭାବେ ଟେଷ୍ଟରେ ତ୍ରିଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଥିଲେ । ପୂର୍ବରୁ ବୀରେନ୍ଦ୍ର ସେୱାଗ ଦୁଇଥର ପାଇଁ ଏହି ସଫଳତା ପାଇଥିଲେ । ନାୟରଙ୍କ ତ୍ରିଶତକ ପରେ ଅଧିନାୟକ କୋହଲି ଭାରତ ସ୍କୋର ୭ ୱିକେଟ୍ରେ ୭୫୯ ରନ୍ ଥିବାବେଳେ ପାଳି ଘୋଷଣା କରିଥିଲେ । ଇଂଲଣ୍ଡର ଷ୍ଟୁଆର୍ଟ ବ୍ରୋଡ଼ ଓ ଲିଆମ ଡସନ୍ ୨ଟି କରି ୱିକେଟ୍ ନେଇଥିଲେ । ଜବାବରେ ପ୍ରଥମ ଇନିଂସ୍ରେ ୨୮୨ ରନ୍ରେ ପଛୁଆ ଥିବା ଭ୍ରମଣକାରୀ ଇଂଲଣ୍ଡ ଦ୍ୱିତୀୟ ଇନିଂସ୍ ଆରମ୍ଭ କରି ବିନା କ୍ଷତିରେ ୧୨ ରନ୍ କରି ସଂଘର୍ଷ ଜାରି ରଖିଛି ।


Tags:
cricket /